ସ୍ଵଚ୍ଛଳତା ପ୍ରମାଣ ପତ୍ର
ସ୍ଵଚ୍ଛଳତା ପ୍ରମାଣ ପତ୍ର କଣ ?
ସମ୍ପୃକ୍ତ ସହର/ ଜିଲ୍ଲାରେ ଥିବା ଘର, ଫ୍ଲାଟ, ଜମି ଇତ୍ୟାଦିର ମାଲିକାନା ଦର୍ଶାଉଥିବା କାଗଜ ପତ୍ର ଆଧାରରେ ସ୍ଵଚ୍ଛଳତା ପ୍ରମାଣ ପତ୍ର ପ୍ରଦାନ କରାଯାଏ ।
କ’ଣ ପାଇଁ ଏହା ଦରକାର ?
ସରକାରୀ ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜରେ ନାମ ଲେଖା ପାଇଁ ଏହା ଦରକାର ହୁଏ । ଜାମିନ ପାଇବା ପାଇଁ କୋର୍ଟ କଚେରୀରେ ମଧ୍ୟ ଏହା ଆବଶ୍ୟକ ହୁଏ । ବିଭିନ୍ନ ସରକାରୀ ଏବଂ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟରେ ଏହା Surety ହିସାବରେ ମଧ୍ୟ ବ୍ୟବହୃତ ହୁଏ । ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଓଡିଶା ମିସେଲାନିଆସ ପ୍ରମାଣ ପତ୍ର ନିୟମ, ୧୯୮୪ ଆଧାରରେ ଏହି ପ୍ରମାଣ ପତ୍ର ପ୍ରଦାନ କରାଯାଇଥାଏ । ୬ ପ୍ରକାରର ମିସେଲାନିଆସ ପ୍ରମାଣ ପତ୍ର ମଧ୍ୟରୁ ଏହା ଅନ୍ୟତମ ।
ଯୋଗ୍ୟତା
ସମ୍ପୃକ୍ତ ତହସିଲଦାରରେ ବାସ କରୁଥିବା ଏବଂ ସେହି ତହସିଲରେ ନିଜର ଜମିଜମା ଥିବା ବ୍ୟକ୍ତି ସ୍ଵଚ୍ଛଳତା ପ୍ରମାଣ ପତ୍ର ପାଇବାକୁ ହକଦାର ।
ସମ୍ପୃକ୍ତ ବିଭାଗ
- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡିଶା ସରକାର ।
- ସମ୍ପୃକ୍ତ ତହସିଲର ତହସିଲଦାର ।
କାହାକୁ ଆବେଦନ କରାଯିବ ?
- ସମ୍ପୃକ୍ତ ଜିଲ୍ଲା, ସବଡିଭିଜନ/ ତହସିଲର ରାଜସ୍ୱ ପ୍ରଶାସନ ଦାୟିତ୍ଵରେ ଥିବା ମୁଖ୍ୟ ପଦାଧିକାରୀ ।
- ଅତିରିକ୍ତ ଜିଲ୍ଲାପାଳ
- ଅତିରିକ୍ତ ତହସିଲଦାର
ଆବେଦନ ପ୍ରଣାଳୀ
ସ୍ଵଚ୍ଛଳତା ପ୍ରମାଣ ପତ୍ର ପାଇବା ପାଇଁ ନିମ୍ନଲିଖିତ ପ୍ରଣାଳୀଦେଇ ଯିବାକୁ ପଡିବ ।
- ସମ୍ପୃକ୍ତ ଜିଲ୍ଲାର ରାଜସ୍ୱ ଅଧିକାରୀଙ୍କ ନିକଟକୁ ଯାଇ ଫାରମ ନଂ ୧ ରେ ଟ୩.୦୦ (ଅଥବା ସମୟ ଅନୁସାରେ ପରିବର୍ଦ୍ଧିତ ହେଉଥିବା) କୋର୍ଟ ଫି ଲଗାଇ ନିଜର ନାମ ଓ ସଂପୂର୍ଣ୍ଣ ଠିକଣା ସହ ଆବେଦନ କରିବାକୁ ହେବ । ସେଥିରେ କେଉଁ ପ୍ରକାର ପ୍ରମାଣ ପତ୍ର ପାଇବାକୁ ଚାହୁଁଛନ୍ତି ଏବଂ କେଉଁ ଉଦ୍ଦେଶ୍ୟରେ ଚାହୁଁଛନ୍ତି ତାହା ଦର୍ଶାଇବାକୁ ହେବ ।
- ସ୍ଵଚ୍ଛଳତା ପ୍ରମାଣ ପତ୍ର ପାଇଁ ଆବଶ୍ୟକ ଫାରମ ନଂ VI ଆବେଦନକାରୀଙ୍କୁ ମିଳିବ ।
- ସେଥିରେ ଉଲ୍ଲେଖଥିବା ନିର୍ଦ୍ଦେଶାବଳୀ ଅନୁସାରେ ଫାରମଟିକୁ ପୂରଣ କରିବାକୁ ହେବ ।
- ନିଜର ଆୟ, ଆୟର ଉତ୍ସ ଏବଂ ସ୍ଥାନରେ ସମ୍ପତ୍ତିର ବିବରଣୀ ଥାଇ ଜଣେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ କରାଯାଇଥିବା ଏକ ସତ୍ୟପାଠ ଏହି ଫାରମ ସହ ସଂଲଗ୍ନ କରିବାକୁ ହେବ ।
- ଅଧିନିୟମ (୧) ଅନୁଯାୟୀ ଆବେଦନକାରୀଙ୍କଠାରୁ ମିଳିଥିବା ବିବରଣୀ ଓଡିଶା ରେକୋର୍ଡ୍ସ ମାନୁଆଲ ୧୯୫୪ ର ପରିଶିଷ୍ଟରେ ଥିବା ଫାରମ ନଂ ୫୧ ଅନୁଯାୟୀ ୨୭ ନଂ ରେଜିଷ୍ଟରରେ ପଞ୍ଜୀକୃତ ହେବ ।
- ରାଜସ୍ୱ ଅଧିକାରୀ ଏକ କେଶ ରେକର୍ଡ ଆରମ୍ଭକରି ଆବେଦନକାରୀଙ୍କର ସମସ୍ତ କାଗଜ ପତ୍ର ତନଖି କରିବେ ।
- କାଗଜ ପତ୍ର ତନଖି ପରେ ଦରକାର ହେଲେ ସେ ନିଜେ ସେ ସବୁର ସତ୍ୟତା ତଦନ୍ତ କରିବେ କିମ୍ବା ତାଙ୍କ ତଳ ସ୍ତରର ଅଧିକାରୀଙ୍କ ଠାରୁ ଏକ ନିର୍ଦ୍ଧିଷ୍ଟ ତାରିଖ ମଧ୍ୟରେ ତଦନ୍ତ ରିପୋର୍ଟ ତଲବ କରିବେ ।
- ପ୍ରାପ୍ତିସ୍ଵୀକାର ରସିଦ ନେଇ ଆବେଦନକାରୀ ବା ତାଙ୍କର ଅଧିକୃତ ଏଜେଣ୍ଟଙ୍କୁ ପ୍ରମାଣ ପତ୍ର ହସ୍ତାନ୍ତର କରାଯିବ ।
ପ୍ରମାଣ ପତ୍ର ଦିଆ ନ ଗଲେ
ଯଦି ପ୍ରମାଣ ପତ୍ର ଦିଆ ନ ଯାଏ, ତାହେଲେ ରାଜସ୍ୱ ଅଧିକାରୀ ଏହାର କାରଣ ସହ କେସ ରେକର୍ଡରେ ସେହି ଆଦେଶ ଲିପିବଦ୍ଧ କରିବେ । ଯଦି ଦରକାର ପଡେ ପୁନର୍ବାର ତନଖି ପରେ ଆବେଦନକାରୀଙ୍କୁ ପ୍ରମାଣ ପତ୍ର ଯୋଗାଇ ଦିଆଯିବ ।
(ଏକ ଲକ୍ଷ ଟଙ୍କା ବା ତଦୁର୍ଦ୍ଧ ମୂଲ୍ୟରେ ସ୍ଵଚ୍ଛଳତା ପ୍ରମାଣ ପତ୍ର ସବଡିଭିଜନାଲ ଅଧିକାରୀଙ୍କ ଠାରୁ ତଳ ସ୍ତରର ରାଜସ୍ୱ ଅଧିକାରୀ ପ୍ରଦାନ କରିପାରିବେ ନାହିଁ । ସମ୍ପୃକ୍ତ ରାଜସ୍ଵ ଅଧିକାରୀଙ୍କ ଅଧିନସ୍ଥ ଇଲାକା ଭିତରେ ଥିବା ସ୍ଥାବର ସମ୍ପତ୍ତିକୁ ସତର୍କତା ସହ ଯାଞ୍ଚ କରି ତାହା ବିଚାରକୁ ନିଆଯିବ)
ପ୍ରମାଣ ପତ୍ର ଦିଆଯିବାର ସମୟ ସୀମା
୧ ମାସ
ପ୍ରମାଣ ପତ୍ର ପ୍ରଦାନ କରିବା ଅଧିକାରୀ
ସମ୍ପୃକ୍ତ ଜିଲ୍ଲାର ରାଜସ୍ଵ ଅଧିକାରୀ
କାହା ପାଖରେ ଅଭିଯୋଗ କରାଯିବ ?
ଉପରଲିଖିତ ପ୍ରମାଣ ପତ୍ର ପ୍ରଦାନକାରୀ ଅଧିକାରୀ ।
ଅଧିକ ବିବରଣୀ ପାଇଁ ଯୋଗାଯୋଗ
ସମ୍ପୃକ୍ତ ଜିଲ୍ଲାର ରାଜସ୍ଵ ଅଧିକାରୀ ।
ଯାଆନ୍ତୁ: http://edistrictodisha.gov.in
ତହସିଲ କାର୍ଯ୍ୟାଳୟ
ସ୍ଥାନ : ପ୍ରତ୍ୟକ ତହସିଲ କାର୍ଯ୍ୟାଳୟ | ସହର : ଭୁବନେଶ୍ଵର | ପିନ କୋଡ୍ : 751001