ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ଏକ ନୂତନ ଜିଲ୍ଲା ଭାବେ ଖୋର୍ଦ୍ଧାର ଆତ୍ମ ପ୍ରକାଶ ୧ ଅପ୍ରେଲ ୧୯୯୩ ମସିହାରେ । ପୂର୍ବତନ ଅବିଭକ୍ତ ପୁରୀ ଜିଲ୍ଲା ୧୯୯୩ ଅପ୍ରେଲ ମାସ ଏକ ତାରିଖରେ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଏପରି ୩ଟି ଜିଲ୍ଲାରେ ବିଭକ୍ତ ହେଲା । ସେତେବେଳେ ଖୋର୍ଦ୍ଧାବାସୀଙ୍କ ମନରେ ଆନନ୍ଦ କହିଲେ ନସରେ। ଏ ଜିଲ୍ଲାର ସଂକ୍ଷିପ୍ତସାର ଇତିବୃତ୍ତି ଏଠାରେ ପ୍ରଦତ୍ତ ହୋଇଛି ।ଏହାର ଅବସ୍ଥିତି ୧୯ ଡିଗ୍ରୀ ୫୫ ମିନିଟରୁ ୨୦ ଡିଗ୍ରୀ ୨୫ ମିନିଟ ଉତ୍ତରଅକ୍ଷାଂଶ ଓ ୮୪ ଡିଗ୍ରୀ ୫୫ ମିନିଟରୁ ୮୬ ଡିଗ୍ରୀ ୫ ମିନିଟ ପୂର୍ବ ଦ୍ରାଘିମା ପର୍ଯ୍ୟନ୍ତ ବିସ୍ତୃତ । ବଙ୍ଗୋପସାଗାର ନିକଟବର୍ତ୍ତୀ ହାଇଥିବାରୁ ଏହାର ଜଳବାୟୁରେ ପ୍ରଭାବିତ ପୁନଶ୍ଚ ସୁବିସ୍ତୃତ ଜଳରାଶି ନୀଳାମ୍ବୁ ଚିଲିକା ହ୍ରଦ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ କରିଛି । ଏଠାରେ ସର୍ବାଧିକ ଓ ସର୍ବନିମ୍ନ ୧୪୦୮ ମିଲିମିଟର ବୃଷ୍ଟିପାତ ସହିତ ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ଓ ସର୍ବନିମ୍ନ ୧୧.୧ ଡିଗ୍ରୀ ତାପମାତ୍ରା ଅନୁଭୂତ ହୁଏ । ସେପରି ଏହାର ଆପେକ୍ଷିକ ଆଦ୍ରତା ୪୬ ଡିଗ୍ରୀ ରୁ ୮୯ ଡିଗ୍ରୀ ମଧ୍ୟରେ ପର୍ଯ୍ୟବସିତ । ଏହା ପୂର୍ବ ଓ ଦକ୍ଷିଣ ପୂର୍ବ ଉପକୂଳ ସମତଳ ଭୂମିରେ ଅବସ୍ଥିତ । ଏଠାରେ ଦେଖାଯାଉଥିବା ବାଲିଆ, ଦୋରସା ଓ ମଟାଳ ପ୍ରଭୃତି ମୃତ୍ତିକାରେ କୃଷି କାର୍ଯ୍ୟ ସମ୍ପାଦିତ ହୁଏ । ଆଞ୍ଚଳିକ ଭିତ୍ତିଭୂମି ନେଇ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି । ପ୍ରଥମଟି ହେଲା ତ୍ରିକୋଣଭୂମିସ୍ଥ ପଟୁ, ଉପାଞ୍ଚଳ ଯାହାକି ବାଲିଅନ୍ତା, ବାଲିପାଟଣା ଓ ଚିଲିକା ବ୍ଲକତ୍ରୟରେ ଅବସ୍ଥିତ । ଦ୍ଵିତୀୟ ଲାଟେରାଇଟ ମୃତ୍ତିକା ଉପାଞ୍ଚଳରେ ବାଣପୁର, ବେଗୁନିଆ, ଭୁବନେଶ୍ଵର, ବୋଲଗଡ, ଜଟଣୀ, ଖୋର୍ଦ୍ଧା ଓ ଟାଙ୍ଗୀ ପ୍ରଭୃତି ବ୍ଲକ ଗୁଡିକ ଅନ୍ତର୍ଭୁକ୍ତ ।