କଳା ଓ ସଂସ୍କୃତି

ପାଇକ ଆଖଡା
ଖୋର୍ଦ୍ଧାର ଅଧିବାସୀ ଓଡିଆ ଓ ତେଲଗୁ ଭାଷାଭାଷୀଙ୍କ ସମାହାର । ଅନ୍ୟ ଭାଷା ମଧ୍ୟରେ ମୁସଲିମ, ମାରୁଆଡି, ଗୁଜୁରାଟି, ବେଙ୍ଗଲି ଭାଷାର ଅନେକ ଲୋକେ ବାସକରନ୍ତି । ଏଥିରେ ଅନେକ ମନ୍ଦିର, ମସଜିଦ ଓ ଚର୍ଚ୍ଚ ରହିଛି । ଏହି ଜିଲ୍ଲା ଆଙ୍ଗ୍ଲୋ ଇଣ୍ଡିଆନମାନଙ୍କୁ ମଧ୍ୟ ସ୍ଥାନ ଦେଇଛି । ଗଣେଶ ଚତୃର୍ଥୀ (ଜଟଣୀ), ଖୋର୍ଦ୍ଧା ମହୋତ୍ସବ (ଖୋର୍ଦ୍ଧା) ଓ ଲକ୍ଷ୍ମୀ ପୂଜା ସହିତ ଅନେକ ପର୍ବ ପାଳିତ ହୁଏ । ଇଦୁଲଫିତର ଓ ଖ୍ରୀଷ୍ଟମାସ ଆଡମ୍ବର ସହିତ ପାଳିତ ହୁଏ । ଯେପରି ହିନ୍ଦୁ ପର୍ବ ଦୀପାବଳି ଓ ଦୋଳ ଉତ୍ସବ ପରି ଜଟଣୀରେ ଆତସବାଜୀର ଦୋକାନ ଅତି ପ୍ରସିଦ୍ଧ ଯାହାକି ପୁରୀ ଓ କଟକର ଅନେକ କ୍ରେତା ବିକ୍ରେତାଙ୍କୁ ଆକର୍ଷଣ କରେ । ଦୀପାବଳି ସମୟରେ ଏହି ବାଣ ପାଇଁ ପଦନପୁର ଗ୍ରାମର ମା ଭଗବତୀ ଦେବୀଙ୍କ ପୀଠରେ ସପ୍ତାହ ବ୍ୟାପି ଉତ୍ସବ ପାଳିତ ହୁଏ । ପର୍ବର ଶେଷଦିନ ଜନସାଧାରଣଙ୍କ ଶୋଭାଯାତ୍ରା ଦେଖାଯାଏ । ରାମାୟଣ ମହାଭାରତୀୟ ଗଳ୍ପରଚିତ୍ରାବଳୀ ପରିଲକ୍ଷିତ ହୁଏ । ପ୍ରତ୍ୟେକ ସମ୍ପ୍ରଦାୟର ଏଥିପ୍ରତି ମମତା ଓ ସଂହତି ଥାଏ । ପରସ୍ପରର ଭାଇଚାର ସୃଷ୍ଟି ହୁଏ । ସେପରି କାଇପଦର ଏକ ଧର୍ମ ପୀଠ ଯେଉଁଠି ସର୍ବଧର୍ମାବଲମ୍ବୀ ସତ୍ୟପୀରଙ୍କ ଶୁଭାଶିଷ ପାଇଁ ସମବେତ ହୁଅନ୍ତି । ପାଇକ ଆଖଡା ନୃତ୍ୟ ଜିଲ୍ଲାର ଗର୍ବ ଓ ଗୌରବର ବୀରତ୍ଵ ଗାଥା ବହନ କରେ । ସମର ଶିକ୍ଷାବାଦୀ ପାଇକ ବାହିନୀର ଅଭ୍ୟାସଶାଳା ବା ଆଖଡାଘର ଯାହାଙ୍କ ଦଶହରା ପର୍ବରେ ଜନମନ ଆକର୍ଷଣ କରେ । ପାଇକ ଶଦ୍ଦ ସଂସ୍କୃତ ପଦାତିକ ଶଦ୍ଦରୁ ଆନୀତ, ଯାହାର ସାହିତ୍ୟିକ ଅର୍ଥ ସୈନିକ । ଏହାର ବୀରତ୍ଵ ବ୍ୟଞ୍ଜକ ନୃତ୍ୟକଳା ନର୍ତ୍ତନ ଶୀଳ ମାନବକୁ ଯୁଦ୍ଧ ପାଇଁ ଅଗ୍ରଗାମୀ କରାଏ । ଢୋଲ, ନାଗରା, ସେହେନାଇ, ଢକ୍କା ପ୍ରଭୁତି ବାଦ୍ୟ ଯନ୍ତ୍ରର ତାଳେତାଳେ ନୃତ୍ୟକଳା ପରିବେଷିତ ହୋଇଥାଏ ।
କଳା
ଦିନଥିଲା ରାଜ୍ୟର ରାଜଧାନୀ ଭୁବନେଶ୍ଵର ହଜାର ହଜାର ମନ୍ଦିରରେ ଶୋଭାପାଉଥିଲା ଯଦିଓ ଅନେକ ମନ୍ଦିରକୁ ସହରର କୋଠା ମାଡିବସିଲାଣି ତଥାପି ଭୁବନେଶ୍ଵର ମନ୍ଦିର ମାଳିନୀ ସହର ହୋଇପାରିଛି । ଏମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ଲକ୍ଷ୍ମଣେଶ୍ବର ମନ୍ଦିର, ପର୍ଶୂରାମେଶ୍ଵର ମନ୍ଦିର, ସ୍ଵର୍ଣ୍ଣଜଳେଶ୍ଵର ମନ୍ଦିର, ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର, ବୈତଳ ମନ୍ଦିର, ବ୍ରାହ୍ମେଶ୍ଵର ମନ୍ଦିର, ମେଘେଶ୍ଵର ମନ୍ଦିର, ଭାସ୍କରେଶ୍ଵର ମନ୍ଦିର, ଅନନ୍ତବାସୁଦେବ ମନ୍ଦିର, ଶାରୀ ମନ୍ଦିର, କପିଳେଶ୍ଵର ମନ୍ଦିର, ମାର୍କେଣ୍ଡେଶ୍ଵର ମନ୍ଦିର, ଜମ୍ବେଶ୍ଵର ମନ୍ଦିର, ଚିତ୍ରକାରିଣୀ ଓ ଶିଶିରେଶ୍ଵର ମନ୍ଦିର ପ୍ରସିଦ୍ଧ ଲାଭକରିଛି ।
ଏହି ପୁରୁଣା ମନ୍ଦିର ବ୍ୟତୀତ ଆଉ ଅନେକ ମୁଖ୍ୟ ନିର୍ମିତ ମନ୍ଦିର ମଧ୍ୟରେ ଆଧୁନିକ ସମୟରେ ଶ୍ରୀ ରାମ ମନ୍ଦିର, ଇସ୍କନ ମନ୍ଦିର ଅନ୍ୟତମ । ଲିଙ୍ଗରାଜ ମନ୍ଦିର ଉଚ୍ଚତା ସର୍ବୋପରି ସବୁ ସ୍ଥାନକୁ ପ୍ରାୟ ଦେଖାଯାଏ । ଏଠାରେ ଓଡିଆ ସଂସ୍କୃତିର ମନ୍ଦିର ସ୍ଥାପତ୍ୟ କଳା କେତେ ଉଚ୍ଚ ସ୍ଥାନ ଅଧିକାର କରିଥିଲା ଭାବିଲେ ବିସ୍ମିତ ନହୋଇ ରହି ହୁଏନାହିଁ ।ବର୍ତ୍ତମାନ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ, ହସ୍ତଶିଳ୍ପ, ବାଲୁକା ଶିଳ୍ପ, ଭାସ୍କର ବିଦ୍ୟା (ଖୋଦନ କାମ) ଓ ଅନ୍ୟାନ୍ୟ ନୃତ୍ୟ ସଙ୍ଗୀତ ମାଧ୍ୟମରେ ଲୋକନୀତି ଓଡିଆ ସଂସ୍କୃତିର ରକ୍ଷଣାବେକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି । ଆଞ୍ଚଳିକ ଲୋକ କଳାର ବିକାଶ ପାଇଁ ପ୍ରାଚୀର କାନ୍ଥ ଓ ବଗିଚା ସବୁ ନିର୍ମାଣ କରାଯାଉଛି । ହସ୍ତତନ୍ତ ଓ ହସ୍ତଶିଳ୍ପ ପାଇଁ ଲୋକପ୍ରିୟ ଏକ୍ରାମ ହାଟକୁ ଏହି ଉତ୍ପନ୍ନ ଗୁଡିକର ଲୋକପ୍ରିୟତା ପାଇଁ ନିର୍ମାଣ କରାଯାଇଛି । ସେହିଭଳି, SRJAN, ଓଡିଶୀ ନୃତ୍ୟ ବିଦ୍ୟାପୀଠ ଯାହାକି ଗୁରୁ କେଳୁଚରଣ ମହାପାତ୍ରଙ୍କ (କିମ୍ବଦନ୍ତୀ ଓଡିଶୀ ନୃତ୍ୟକାର) ଦ୍ଵାରା ସ୍ଥାପିତ, ତାହା ଏଠାରେ ଅବସ୍ଥିତ ।
ଭୁବନେଶ୍ଵରର ମଧ୍ୟଭାଗରେ ଅବସ୍ଥିତ ରବୀନ୍ଦ୍ର ମଣ୍ଡପ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଅଥିତି ଭବନ ରୂପେ ଯାହା ବିଦ୍ୟମାନ ଆଧୁନିକ ଥିଏଟର ଓ ବ୍ୟକ୍ତିଗତ ଉତ୍ସବକୁ ପ୍ରୋତ୍ସାହନ ଦେଇଆସୁଛି । (ପାରାଦ୍ଵୀପ କୁ ଯିବାବାଟରେ ) ରତ୍ନଗିରି, ଲାଳିତଗିରି ଓ ଉଦୟଗିରିଠାରେ ମହାନ ଐତିହାସିକ ପ୍ରାଧାନ୍ୟଥିବା ବୁଦ୍ଧଦେବଙ୍କର କାରୁକାର୍ଯ୍ୟ ଖୋଦେଇ କରାଯାଇଛି । ରତ୍ନଗିରିଠାରେ ଥିବା ଦୃଶ୍ୟ ଅତନ୍ତ୍ୟ ସୁଦୂର ପ୍ରସାରୀ ଏବଂ ଖୋଦେଇ ଓ ମୂର୍ତ୍ତିକଳ ଏହାର କଳାଚାତୁରୀ ପାଇଁ ପାରଦର୍ଶିତା ଲାଭ କରିଛି ।
ପ୍ରସ୍ତର ଖୋଦେଇ

ମୁକ୍ତେଶ୍ଵର ମନ୍ଦିର
ପ୍ରସ୍ତର ଖୋଦେଇ ଓଡିଶାର ସବୁଠୁ ବଡ ହସ୍ତଶିଳ୍ପ । ଯାହାସବୁ ପ୍ରତ୍ନତାତ୍ତ୍ଵିକ ସ୍ମୃତି ଚିହ୍ନ, ପ୍ରସ୍ତର ଖୋଦେଇ କାମ, ଗୁମ୍ଫା ଓ ମନ୍ଦିରମାନଙ୍କରୁ ସ୍ପଷ୍ଟ ପ୍ରତୀୟମାନ ତାହାହେଲା ଶତାବ୍ଦୀ ଶତାବ୍ଦୀ ଧରି ତାହାକୁ ସଜାଇ ସୌନ୍ଦର୍ଯୀକରଣ କରାଯାଇଛି । କାରୀଗରମାନଙ୍କର ଶତାବ୍ଦୀ ଶତାବ୍ଦୀ ର, ପିଢି ପିଢିର ଅଦ୍ୟମ ଚେଷ୍ଟା ଫଳରେ ଆଜିର ପଥର ଖୋଦେଇ କାମ ଓଡିଶାରେ ଚରମ ଉତ୍କର୍ଷରେ ପହଞ୍ଚିପାରିଛି । ଏହି କାରିଗରମାନଙ୍କର ସନ୍ତାନ ସନ୍ତତିମାନେ ପର୍ଶୂରାମେଶ୍ଵରଙ୍କର ବିଶାଳ ମନ୍ଦିର, ମୁକ୍ତେଶ୍ଵର, ଲିଙ୍ଗରାଜ, ଜଗନ୍ନାଥ ମନ୍ଦିରରେ ପ୍ରସ୍ତରରେ ଆଶ୍ଚର୍ଯ୍ୟ ଧରଣର କାର୍ଯ୍ୟ ପ୍ରସ୍ପୁଟିତ କରିଛନ୍ତି ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିରର ରଥକୁ ଜୀବନଦାନ କରିଛନ୍ତି । ଏହାଛଡା ଲଳିତଗିରି, ରତ୍ନଗିରି ଓ ଉଦୟଗିରିରେ ଥିବା ସୁନ୍ଦର ସ୍ତୂପ ଓ ମଠଗୁଡିକୁ ସେହି କାରିଗରମାନଙ୍କର ପୂର୍ବପୁରୁଷଙ୍କୁ ଜୀବନ୍ତକରି ରଖିଛି ।
ଅନ୍ୟାନ୍ୟ ଜିନିଷ ତିଆରି କରିବା ଛଡା ଏହି କାରୀଗରମାନଙ୍କର ଦକ୍ଷତାସମ୍ପନ୍ନ ହାତ ପଥରରେ ମନ୍ଦିରରେ ନିହାଣ ମୁନରେ ଅବିକଳ ପ୍ରତିମୂର୍ତ୍ତି ଗଢି କଳାଚାତୁରୀକୁ ନିଖୁଣ ରୂପ ଦେଇପାରନ୍ତି ଓ ସୁନ୍ଦର ସୁନ୍ଦର ଜିନିଷ ତିଆରି କରିବାରେ ସିଦ୍ଧହସ୍ତ ଅଟନ୍ତି । ଏହି କାରୀଗରମାନେ ପ୍ରତ୍ୟେକ ଧରଣର ପଥରକୁ ସମାନଭାବରେ ହସ୍ତସ୍ପର୍ଶ ଦେଇପାରନ୍ତି । ଯଥା ଅତି ନରମ ସୋପ୍ଟଷ୍ଟୋନ, ତାଠାରୁ ଟିକିଏ ଟାଣ ପିନକିସ ଖଣ୍ଡୋଲାଇଟି (ସହନ ପଥର ବା ବଉଳା ପଥର) ଏବଂ ସୁବୁଠୁ ଟାଣ ବ୍ଲାକ ଗ୍ରାନାଇଟ (ମୁଗୁନି ପଥର), ଆଉ ଯେଉଁ ଉପକରଣ ଏମାନେ ବ୍ୟବହାର କରନ୍ତି ତାହା ସାଧାରଣ ଓ ସାମାନ୍ୟ, ଯଥା – ହାତୁଡି ବାରିସି ( ବିଭିନ୍ନ ଆକାର ପ୍ରକାରର) ଇତ୍ୟାଦି । ଏହି ଉପକରଣ ଗୁଡିକର ସ୍ଥାନୀୟ ନାମ ମଧ୍ୟ ରହିଛି, ଯେପରିକି ମୁଣା, ପାଟିଲି, ଠୁକଠୁକି ଏବଂ ନିହାଣ । ପଥର ଟାଣ ହେଉକି ନରମ, ପ୍ରଥମେ ତାଉପରେ ଗୋଟିଏ Outline ଟଣାଯାଇ ତାପରେ ପଥରକୁ ସେହିମାପରେ କାଟି ମୂର୍ତ୍ତି ବାହାର କରାଯାଏ । ସେଠାରେ outline ଟଣା ସରିଗଲା ପରେ, ପଥରର ଅଦରକାରୀ ଅଂଶକୁ କାଟି ବାହାରକରି ନିଆଯାଏ ଓ ମୂର୍ତ୍ତିକୁ ତହିଁରୁ କାଢି ଅଣାଯାଏ । କଠିନ ପଥରରେ ବାରିସି ବା ନିହାଣ ସାହାଯ୍ୟରେ ଏହି କାମ କରାଯାଉଥିବାବେଳେ ନରମ ପଥର ପାଇଁ ତୀକ୍ଷଣ ମୁନିଆ ଲୁହା କଣ୍ଟାରେ ଗାର ପକାଇ ଏହି କାର୍ଯ୍ୟ କରାଯାଇଥାଏ । ନମୁନା ଅନୁସାରେ ମନ୍ଦିରରେ ଶୋଭାପାଉଥିବା ଅସଂଖ୍ୟ ମୂର୍ତ୍ତିକଳା ଏହାର ଉଦାହରଣ ହୋଇଥିବାବେଳେ, ଅନ୍ୟଗୁଡିକ ମଧ୍ୟ କୌଣସି ଗୁଣରେ ନଗଣ୍ୟ ନୁହେଁ ।

ଗୌତମ ବୁଦ୍ଧ
ଏହାର କ୍ଷୁଦ୍ର ନମୁନାକୁ ମଧ୍ୟ ଆମେ ହସ୍ତଶିଳ୍ପ ସଂଗ୍ରହାଳୟରେ ଦେଖିବାକୁ ପାଇବା ଯାହାକି ଭୁବନେଶ୍ଵର ଓ ଦିଲ୍ଲୀର ସଂସଦ ଗୃହରେ ଦୃଶ୍ୟମାନ । ଦୁଇଟି ନମୁନା ମଧ୍ୟରେ ଗୋଟିଏ କଟକର ବାରବାଟୀ ଷ୍ଟାଡିୟମରେ ଥିବା କୋଣାର୍କ ଘୋଡା (ଅଶ୍ଵ) ଏବଂ ଅନ୍ୟଟି ସମାନ ଆକୃତିର ଭୁବନେଶ୍ଵରର Modern Hotel ର ଶୋଭାବର୍ଦ୍ଧନ କରୁଥିବା କୋଣାର୍କ ଚକ । ଅନ୍ୟ ଏକ ବିଶାଳ କୋଣାର୍କ ଅଶ୍ଵ, ଭୁବନେଶ୍ଵରର ଜନଗହଳିପୂର୍ଣ୍ଣ traffic ଉପରେ ଭୂଚିହ୍ନ (Land Mark) ହେବାକୁ ଯାଉଛି । ଆଉ ଧଉଳିରେ ଥିବା ଆଧୁନିକ ଶାନ୍ତି ସ୍ତୁପର କାନ୍ଥରେ ବୁଦ୍ଧ ଓ ଅଶୋକଙ୍କ ଜୀବନ୍ତ କାରୁକାର୍ଯ୍ୟ ଓ ଚାରଟି ବିଶାଳ ବୁଦ୍ଧ ମୂର୍ତ୍ତି ଏହି ଓଡିଶା କାରିଗରୀମାନଙ୍କର ସୂଚୀମୁନ କାରୁକାର୍ଯ୍ୟ । ମୁଖ୍ୟତଃ ପୁରୀ, ଭୁବନେଶ୍ଵର, କଟକ ଓ ଲଳିତଗିରିରେ ଥିବା କାରୀଗରମାନେ ଏହି ହସ୍ତକଳାର ଅଭ୍ୟାସ ଜାରି ରଖିଛନ୍ତି । ଏହି ପରମ୍ପରା ବଂଶାନୁକ୍ରମିକ ଚାଲିଆସୁଛି ଏବଂ କଳାର ଯେଉଁ କେତେକ ପୁରୁଣା ଗ୍ରନ୍ଥ ଏବେ ବି ବଞ୍ଚିରହିଛି, ତାହାକୁ ନିଖୁଣ ଭାବରେ ଅନୁଧ୍ୟାନ କରାଯାଇଛି । ସାଜସଜ୍ଜା ବ୍ୟତିରକେ ସଙ୍କଳ୍ପର ପୂର୍ଣ୍ଣତା ପାଇଁ ସମର୍ପିତ କାର୍ଯ୍ୟ ଏବଂ ଆଧୁନିକ ଉପାଦେୟତା ଥିବା ଦ୍ରବ୍ୟ, କାରିଗରୀ କାର୍ଯ୍ୟ ଯାହାକି ସିଳିକୀୟ ମାଟି ବାସନ ଓ ରୋଷେଇ ଉପକରଣ ସାମଗ୍ରୀ ଆଦି ଏହାର ଅନ୍ତର୍ଗତ । ସରଳ ଉପାୟକୁ ଅନୁଧ୍ୟାନ କରି, ଆକୃତି ଦେଇ ମାଜଣା କରି (କାଠ ଗୁଣ୍ଡ ଓ କୁଣ୍ଡା) ମାଧ୍ୟମରେ କାରୀଗରମାନେ ସୁନ୍ଦର ସୁନ୍ଦର ମସୃଣ ପ୍ଳେଟ (ଥାଳି), ଗିନା, ପଥୁରୀ, କପ ଓ ଗ୍ଲାସ ନିର୍ମାଣ କରୁଛନ୍ତି । ଏହି ପାତ୍ର ଗୁଡିକ ପୂଜା ପାଇଁ, ଧାର୍ମିକ କାର୍ଯ୍ୟପାଇଁ ଏପରିକି ଦୈନିକ ଖାଇବା ପାଇଁ ବ୍ୟବହୃତ ହେଉଛି । ପଥରରେ ନିର୍ମିତ ପଥୁରୀ (ପଥର ବାସନ) କୁ ଦହି ନଷ୍ଟ ନ ହେବାପାଇଁ ବ୍ୟବହାର କରାଯାଉଛି । (ସେଥିରେ ଦହି ରହିଲେ ତାହା ଏସିଡି ସଂସ୍ପର୍ଷରେ ଆସିପାରେ ନାହିଁ, ଯାହାଦ୍ଵାରା ଖଟା ହୁଏ ନାହିଁ) ପୁଣି କାଠ ଆଲମାରୀରେ ପିମ୍ପୁଡି ନ ପଶିବା ପାଇଁ ଏହି ପଥୁରୀକୁ ଆଲମାରୀର ଗୋଡତଳେ ରଖି ପାଣି ଦିଆଯାଇଥାଏ । ବଉଳଗାଡିଆ ଓ ନୀଳଗିରିରେ ଥିବା କାରୀଗରମାନେ ଏହି କାର୍ଯ୍ୟ କରିଥାନ୍ତି ।