ଇତିହାସ

ଏହି ନୂତନ ଜିଲ୍ଲାର ନାମ ୨୦୦୦ ମସିହାରେ ଖୋର୍ଦ୍ଧା (Khurda) ରୁ ଖୋରଧା (Khordha) ପରିବର୍ତ୍ତିତ ହୁଏ । ଜିଲ୍ଲାର ସଦର ମହକୁମା ଖୋର୍ଦ୍ଧା ସହରରେ ଅବସ୍ଥିତ । ଯାହା ପୂର୍ବରୁ ଜଜାରସିଂହ ବା ଖୁରଦା (ଅର୍ଥାତ ଦୁର୍ଗନ୍ଧମୁଖ) ନାମରେ ନାମିତ ଥିଲା ଏହି ଅଞ୍ଚଳର ମାଇଲି ଖୁଣ୍ଟରେ ଲିଖିତ Kurada କୁ (ଖୁରଦା) ଏବେ ଏଥିରେ ଚୂନ ଲିପାଯାଇ ସେହି ସ୍ଥାନରେ ଖୋର୍ଦ୍ଧା ଲେଖାଯାଇଛି । ଏହି “ଖୁରଦା” ଦୁଇଟି ଶଦ୍ଧରୁ ସୃଷ୍ଟି ଯଥା – ଖୁର ଓ ଧାର । ବୋଧ ହୁଏ ଖୋର୍ଦ୍ଧାର ସୈନିକମାନେ ସେତିକି ଧାରୁଆ (ତୀକ୍ଷଣ) ଥିଲେ ଖୁରର ଧାର ପରି । ଖୋର୍ଦ୍ଧାର ଇତିହାସ ବର୍ଣ୍ଣନା କରେଯେ ଅତୀତରେ ଏହା ଶବରମାନଙ୍କ ଦ୍ଵାରା ପରିପୂର୍ଣ୍ଣ ଥିଲା । ଯେଉଁ ଆଦିବାସୀମାନେ ଆଜିପର୍ଯ୍ୟନ୍ତ ବାଣପୁର,ବୋଲଗଡ ପ୍ରଭୃତି ସ୍ଥାନରେ ବସବାସ କରୁଛନ୍ତି । ଅଧିକନ୍ତୁ ଏହାର ଇତିହାସ ପୁରୀ ଜିଲ୍ଲାର ଇତିହାସ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ । ଦଶମ ଶତାଦ୍ଦୀର ମଧ୍ୟଭାଗବେଳକୁ ଭୌମକାର ଶାସିତ ଅଞ୍ଚଳ ପ୍ରଥମ ସୋମବଂଶୀ ରାଜା ଦ୍ଵିତୀୟ ଯଜାତୀ ମହାଶିବ ଗୁପ୍ତଙ୍କ ଦ୍ଵାରା ପୂର୍ବ ଓଡିଶା ଅଧିକୃତ ହେଲା । ସେ ଓ ତାଙ୍କ ପୁତ୍ର ଉଦ୍ୟତ ମହାଭଞ୍ଜ ଗୁପ୍ତ ମନ୍ଦିର ନିର୍ମାଣରେ ବ୍ରତୀ ଥିଲେ । ଏହାର ନିଦର୍ଶନ ସ୍ୱରୂପ ଶୈବ ପୀଠ ଲିଙ୍ଗରାଜ ମନ୍ଦିର ଭୁବନେଶ୍ଵରଠାରେ ଅଦ୍ୟାବଧି ଦଣ୍ଡାୟମାନ । ଏହି ବଂଶର ଶେଷ ରାଜା ଥିଲେ କର୍ଣ୍ଣଦେବ, ଯେକି ୧୧୧୦ ଖ୍ରୀଷ୍ଟାଦ୍ଧରେ ଚୋଡଗଙ୍ଗଦେବଙ୍କ ଦ୍ଵାରା ପରାସ୍ତ ଓ ମୃତ୍ୟୁବରଣ କରିଥିଲେ ।

ଖୋର୍ଦ୍ଧାର ପ୍ରଥମ ରାଜା ରାମଚନ୍ଦ୍ରଦେବଙ୍କ ରାଜତ୍ଵ କାଳରେ ଖୋର୍ଦ୍ଧାର କୃତି ଓ ପ୍ରଶସ୍ତି ବୃଦ୍ଧି ପାଇଥିଲା ଏବଂ ଷୋଡଶ ଶତାଦ୍ଧୀର ଶେଷଭାଗକୁ ଖୋର୍ଦ୍ଧାକୁ ସାମ୍ରାଜ୍ୟର ରାଜଧାନୀ ରୂପେ ମନୋନୀତ କରିଥିଲେ, କାରଣ ଏହାର ଅବସ୍ଥିତି ଯାହାକି ଏକ ପାର୍ଶ୍ଵରେ ବରୁଣେଇ ପାହାଡର ସୁରକ୍ଷା ପ୍ରଦାନ ଏବଂ ଅନ୍ୟ ପାର୍ଶ୍ଵରେ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ହୋଇ ରହିଥିଲା । ମରାଠା ଓ ମୁସଲମାନ ସୈନ୍ୟଙ୍କ ପୁନଃ ପୁନଃ ଆକ୍ରମଣ ସତ୍ତ୍ୱେ ଏହା ୧୮୦୪ ପର୍ଯ୍ୟନ୍ତ ନିଜର ସ୍ଵାଧୀନତା ଗୌରବକୁ ବଜାୟ ରଖିଥିଲା । ସେଥିପାଇଁ ଏହି ରାଜକୀୟ ଦୁର୍ଗ ଖୋର୍ଦ୍ଧାଗଡ ଏବଂ ଶେଷ ସ୍ଵାଧୀନ ଦୁର୍ଗ ରୂପେ ଖ୍ୟାତି ବହନ କରେ, ଯାହାକି ଇଷ୍ଟିଇଣ୍ଡିଆ କମ୍ପାନୀ କବଳରୁ ଦୀର୍ଘଦିନଧରି ମୁକ୍ତ ହୋଇ ରହିଥିଲା (୧୭୫୭ ପଲାସୀ ଯୁଦ୍ଧଠାରୁ ଇଷ୍ଟିଇଣ୍ଡିଆ କମ୍ପାନୀ ବଙ୍ଗଳାରେ ନିଜର ଆଧିପତ୍ୟ ବିସ୍ତାର ଆରମ୍ଭ କରିଥିଲା) । ପ୍ରକୃତରେ ଖୋର୍ଦ୍ଧା ଇଷ୍ଟିଇଣ୍ଡିଆ କମ୍ପାନୀର ସଂପୂର୍ଣ୍ଣ ନିୟନ୍ତ୍ରଣକୁ ୧୮୨୭ ମସିହାରେ ଆସିଥିଲା । ଏହି ବିଳମ୍ବ କାରଣ ଖୋର୍ଦ୍ଧା ପାଇକମାନଙ୍କ ଦ୍ଵାରା ଦୃଢ ପ୍ରତିଶୋଧ ଯାହାକି କମ୍ପାନୀ ଶାସନକୁ ପ୍ରତିହତ କରିଥିଲା । ୧୮୧୭-୧୮ ମଧ୍ୟରେ ଯେଉଁ ପାଇକ ବିଦ୍ରୋହ ହୋଇଥିଲା ସେଥିରେ ବିଶେଷତଃ ଖୋର୍ଦ୍ଧାର ଲଢୁଆ ପାଇକମାନଙ୍କର ଦୀପ୍ତ ସାହାସ ଓ ସାଧ୍ଵସ ତଥା ବାହୁବଳ ଇତିହାସରେ ବର୍ଣିତ ରହିଛି । ଏହା ବକ୍ସିଜଗବନ୍ଧୁଙ୍କ ନେତୃତ୍ଵରେ ପରିଚାଳିତ ହୋଇଥିଲା । ବ୍ରିଟିଶ ଐତିହାସିକମାନଙ୍କ ଦ୍ଵାରା ଓଡିଆମାନଙ୍କର ଏହି ପାଇକ ଆନ୍ଦୋଳନ ଇତିହାସରେ ଲିପିବଦ୍ଧ ହୋଇଛି । ଯାହାକି ଭାରତର ପ୍ରଥମ ସ୍ଵାଧୀନତା ଆନ୍ଦୋଳନ । ଏହା ଖୋର୍ଦ୍ଧା ମାଟିରୁ ଆରମ୍ଭ ହୋଇ ଓଡିଶାର ଅନ୍ୟ ଅଞ୍ଚଳ ଗୁଡିକୁ ବିସ୍ତାର ଲାଭ କରିଥିଲା । ୧୮୫୭ ସିପାହୀ ବିଦ୍ରୋହର ବହୁ ପୂର୍ବରୁ ଏହା ସଂଘଟିତ ହୋଇଥିଲା । ବ୍ରିଟିଶ କମିଶନର ୱାଲଟରୟୁଓର ୧୮୧୮ ବିବରଣରେ ଦର୍ଶାଇଛନ୍ତି ଯେ “ବର୍ତ୍ତମାନ ଖୋର୍ଦ୍ଧା ପାଇଁ ପାଇକମାନଙ୍କ ସହାୟତାର ଆବଶ୍ୟକତା ନାହିଁ । ବ୍ରିଟିଶ ସୈନ୍ୟ ବିଭାଗରେ ସେମାନଙ୍କୁ ରଖିବା ବିପଦପୂର୍ଣ୍ଣ, ସେମାନେ ସାଧାରଣ ରୟତ ଭାବରେ ବିବେଚିତ ହେବ ଉଚିତ । ଭୂମିକର ସହିତ ଅନ୍ୟାନ୍ୟ କର ମଧ୍ୟ ସେମାନଙ୍କଠାରୁ ଆଦାୟ କରାଯାଉ, ସେମାନଙ୍କୁ ଜାଗିରୀ ଜମିରୁ ବଞ୍ଚିତ କରାଯାଉ ” ସ୍ୱଳ୍ପ କାଳ ମଧ୍ୟରେ ଏହି ପାଇକମାନଙ୍କର ଗୌରବ ବିଲୁପ୍ତ ହେବାକୁ ବସିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଯେଉଁଠାରେ ଏହି ପାଇକମାନେ ବାସ କରୁଛନ୍ତି ସେମାନେ ଏହି ଆକ୍ରମଣାତ୍ମକ ଭାବକୁ ବଜାୟ ରଖିଛନ୍ତି । ବ୍ରିଟିଶ ସୈନ୍ୟ ବାହିନୀ ୧୮୦୩ ମସିହା ସେପ୍ଟେମ୍ବର ଆଠ ତାରିଖରୁ ମାଡ୍ରାସରୁ ବାହାରି ମାଣିକପାଟଣା ଦେଇ ସେପ୍ଟେମ୍ବର ୧୬ ତାରିଖରେ ପୁରୀରେ ପହଞ୍ଚିଥିଲେ । ଏହାର ଦୁଇଦିନ ପରେ କଲୋନେଲ ଦ୍ଵାରା କୋଟ ମାଲୁଦର ଫତେ ମହମ୍ମଦଙ୍କ ମରାଠା ନିଯୁକ୍ତ ପ୍ରହରୀ ସହାୟତାରେ ନରସିଂହ ପାଟଣାରେ ପହଞ୍ଚିଥିଲେ । ନରସିଂହ ପାଟଣା ଓ ପୁରୀ ଅଧିକାର ସମୟରେ ଇଂରେଜମାନେ କୌଣସି ବାଧାବିଘ୍ନର ସମ୍ମୁଖୀନ ହୋଇନଥିଲେ, କଲୋନେଲ ହାରକୋଟ ପୁରୀର ଜଗନ୍ନାଥ ମନ୍ଦିର ଅଧିକାର କଲାପରେ କଟକ ଅଭିମୁଖେ ଅଗ୍ରସର ହେଉଥିବା ସମୟରେ ଅଠରନଳା ଓ ଜଗନ୍ନାଥ ସଡକ ନିକଟରେ ମରାଠାମାନଙ୍କର ସ୍ୱଳ୍ପ ବିରୋଧର ସମ୍ମୁଖୀନ ହୋଇଥିଲେ । ମରାଠା ସେନା ଆତ୍ମରକ୍ଷା ପାଇଁ ଖୋର୍ଦ୍ଧା ଜଙ୍ଗଲରେ ଲୁଚିଗଲେ । କାଠଯୋଡି ନଦୀ ଅତିକ୍ରମ ବାରଙ୍ଗ ଗଡ ଦେଇ ହାରକୋଟ କଟକରେ ଉପନୀତ ହେଲେ ।

କ୍ୟାପଟେନ ମୋରଗାନଙ୍କ ନେତୃତ୍ଵରେ ବିଚ୍ଛିନ୍ନ ବ୍ରିଟିଶ ସୈନ୍ୟ ଦଳ ଜାହାଜରେ ସମୁଦ୍ରତଟ ଦେଇ ବାଲେଶ୍ଵର ଜିଲ୍ଲାର ଜାମପଦାରେ ପହଞ୍ଚିଥିଲେ । ଏବଂ ମରାଠା ଦୁର୍ଗକୁ ଅଧିକାର କଲେ । ଅନ୍ୟ ଏକ ବିଚ୍ଛିନ୍ନ ସୈନ୍ୟ ଦଳ ମେଦିନପୁର ଦେଇ ବାଲେଶ୍ଵରରେ ପହଞ୍ଚିଥିଲେ । ଏହି ସୈନ୍ୟଦଳ କଲୋନେଲ ଫର୍ଗୁସନଙ୍କ ଦ୍ୱାରା ପରିଚାଳିତ ହୋଇ ପୂର୍ବ ସୈନ୍ୟଦଳ ସହ ବାଲେଶ୍ଵରଠାରେ ମିଳିତ ହେଲେ । ମିଳିତ ସୈନ୍ୟଦଳ ବାଲେଶ୍ଵରରୁ କଟକ ଅଭିମୁଖେ ଯାତ୍ରା କଲେ ଏବଂ କଲୋନେଲ ଦ୍ଵାରା ହାରକୋଟଙ୍କ ସୈନ୍ୟଦଳ ସହ ମିଶି ବାରବାଟୀ ଦୁର୍ଗକୁ ଅଧିକାର କଲେ । ଏହିପରି ଓଡିଶା ୧୮୦୩ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀ ଅଧୀନକୁ ଚାଲିଗଲା । ଏଣୁ କମ୍ପାନୀ କେବଳ ଖୋର୍ଦ୍ଧା ଅଞ୍ଚଳକୁ ଛାଡି ଭାରତର ବିଭିନ୍ନ ସ୍ଥାନରେ ଆଧିପତ୍ୟ ବିସ୍ତାର କଲା ।
୧୮୦୪ ଖ୍ରୀଷ୍ଟାଦ୍ଧରେ ଇଂରେଜ ସୈନ୍ୟମାନେ ୩ ସପ୍ତାହ ଧରି ଖୋର୍ଦ୍ଧା ଦୁର୍ଗ ଅବରୋଧ କଲେ । ଏବଂ କମାଣ ମାଡ କରି ଅଞ୍ଚଳକୁ ଅଧିକାର କଲେ । ଦ୍ଵିତୀୟ ମୁକୁନ୍ଦଦେବଙ୍କୁ ବିଦ୍ରୋହୀ ବୋଲି ଘୋଷଣା କରି ତାଙ୍କୁ ସିଂହାସନଚ୍ୟୁତ କଲେ । ସେ ବ୍ରିଟିଶ ଅଧିକାରୀଙ୍କ ପାଖରେ ଦାବିପତ୍ର ଉପସ୍ଥାପନା କଲେ ଯେ ଜୟୀରାଜଗୁରୁଙ୍କ ନିର୍ଦ୍ଦେଶରେ ସେ ଇଂରେଜ ବିରୋଧୀ ହୋଇଥିଲେସିନା କିନ୍ତୁ ସେ ଯୁଦ୍ଧ ପାଇଁ ଦାୟୀ ନଥିଲେ । ଏହି ଦାବି ପତ୍ରକୁ ଭିତ୍ତିକରି ଇଂରେଜମାନେ କ୍ଷମାକରି ଜଗନ୍ନାଥ ମନ୍ଦିର ପରିଚାଳନାର ଦାୟିତ୍ଵ ପ୍ରଦାନ ପୂର୍ବକ ତାଙ୍କୁ ପୁରୀରେ ରହିବାକୁ ଆଦେଶ ଦେଲେ ।
୧୮୦୪ ଖ୍ରୀଷ୍ଟାଦ୍ଧରେ ଜୟୀରାଜଗୁରୁ ଖୋର୍ଦ୍ଧା ବିଦ୍ରୋହର ମୁଖ୍ୟ ଭାବେ ବିବେଚିତ ହେଲେ । ତାଙ୍କୁ ମେଦିନପୁର ବାଘତୋଟାଠାରେ ବରଗଛରେ ବାନ୍ଧି ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ । ଜୟୀରାଜଗୁରୁଙ୍କ ଏହି ବିଭତ୍ସ ମୃତ୍ୟୁରେ ଖୋର୍ଦ୍ଧାର ପାଇକମାନେ ଅସନ୍ତୋଷ ପ୍ରକାଶ କଲେ ଏବଂ ବକ୍ସିଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ଵରେ କମ୍ପାନୀ ବିରୋଧରେ ବିପ୍ଲବ ଆରମ୍ଭ କଲେ । ଏହି ବିପ୍ଲବ ପରିଶେଷରେ ନିଶେଷିତ ହୋଇ ୧୮୨୭ ମସିହାରେ ବ୍ରିଟିଶ ସାମ୍ରାଜ୍ୟର ଅଧୀନ ହୋଇଗଲା ।

ବୟନ ଶିଳ୍ପ ପାଇଁ ଖୋର୍ଦ୍ଧା ଏକ ପ୍ରଧାନ କେନ୍ଦ୍ର । ଏହାର ଗୁଣବତ୍ତା ପାଇଁ ଲୁଙ୍ଗି, ଗାମୁଛା ଓ ଶାଢୀର ଆଦର ଓଡିଶା ବାହାରେ ଅଦ୍ୟାବଧି ରହିଛି । ଗଡଖୋର୍ଦ୍ଧରେ ଅନେକ ହିନ୍ଦୁ ମଠ ମନ୍ଦିର ଅଛି । ଏହି ଗଡଖୋର୍ଦ୍ଧା ଖୋର୍ଦ୍ଧାର ପୁରାତନ ଦୁର୍ଗ । ସହରର ନଗର ସମ୍ବନ୍ଧୀୟ କାର୍ଯ୍ୟ ଖୋର୍ଦ୍ଧା ମୁନିସପାଲ୍ଟି ଦ୍ୱାରା ପରିଚାଳିତ ହେଉଛି ।
ଏହି ନୂଆ ଜିଲ୍ଲା ଖୋର୍ଦ୍ଧା ଓ ଭୁବନେଶ୍ଵର ଉପମଣ୍ଡଳ ନାମରେ ନାମିତ ହେଲା । ଏହା ୨୮୧୩ ବର୍ଗ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ, ଯାହାକି ସମୁଦାୟ ରାଜ୍ୟର ୧.୮୧ ପ୍ରତିଶତ ଅଞ୍ଚଳ ଅଟେ । ଏହା ରାଜ୍ୟର ଏକ ଉନ୍ନତ ଜିଲ୍ଲା । ରାଜଧାନୀ ଭୁବନେଶ୍ଵର ନିଜର ପ୍ରିୟ ସଦନ । ପଡୋଶୀ ଜିଲ୍ଲାଭାବେ ଉତ୍ତରରେ କଟକ, ଦକ୍ଷିଣରେ ଗଞ୍ଜାମ, ପୁର୍ବରେ ପୁରୀ ଓ ପଶ୍ଚିମରେ ନୟାଗଡ ବଳୟିତ କରି ରଖିଛି ।